-ପଜିଟିଭ ହେଲେ ତରବର ହୋଇ ହସ୍ପିଟାଲ ଆସନ୍ତୁ ନାହିଁ
ଭୁବନେଶ୍ୱର : କୋଭିଡ଼ ପଜିଟିଭ ହେଲେ ତରବର ହୋଇ ହସ୍ପିଟାଲ ଆସନ୍ତୁ ନାହିଁ । ହୋମ୍ ଆଇସୋଲେସନରେ ରହନ୍ତୁ, ଯାହାକୁ ଜରୁରୀ ସେ ହସ୍ପିଟାଲ ଆସନ୍ତୁ । ପଜିଟିଭ୍ ଚିହ୍ନଟ ହେଲେ ଘରେ ରହନ୍ତୁ । ଘରେ ରହି ପ୍ରଶାସନ ସହ ଯୋଗାଯୋଗ କରି ଚିକିତ୍ସିତ ହୁଅନ୍ତୁ । ଯଦି ଅବସ୍ଥା ଗୁରୁତର ହେଲା ଆମ୍ବୁଲାନ୍ସ ଯାଇ ଆଣିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଏହାସହ ଜଣେ ଗୁରୁତର ରୋଗୀକୁ ହସ୍ପିଟାଲରେ ଚିକିତ୍ସା ସୁବିଧା ଦିଅନ୍ତୁ ବୋଲି ସମସ୍ତଙ୍କୁ ଅପିଲ୍ କରିଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟରେ ଏବେ ୩୩% ସାଧାରଣ ବେଡ୍, ୬୯% ଆଇସିୟୁ , ୩୫% ଭେଂଟିଲେଟର ବ୍ୟବହୃତ ହେଉଛି । ରାଜ୍ୟରେ ଅକ୍ସିଜେନର କୌଣସି ଅଭାବ ହେବ ନାହିଁ । ୪୩ ହଜାର ରେମଡେସିଭିର ଷ୍ଟକ ୍ ଅଛି । କୋଭିଡ୍ ନିୟମ ମାନିଲେ ହିଁ କରୋନାକୁ ଆମେ ରୋକିପାରିବା ।କୋଭିଡ଼ ନିୟମ ମାନନ୍ତୁ, ମାସ୍କ ପିନ୍ଧନ୍ତୁ, ଗହଳି କରନ୍ତୁନି କି ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି ।
କରୋନା ସ୍ଥିତି ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଦ୍ୱିତୀୟ ଲହରୀ ଏତେ ଭୟାନକ ହେବ ବୋଲି କେହି ଭାବିନଥିଲେ । ଦେଶରେ ୮ ଦିନ ହେଲା ୩.୫ ଲକ୍ଷରୁ ଅଧିକ କେସ୍ ଆସୁଛି । ଏବେ ଦେଶର ୮୦ ପ୍ରତିଶତ କେସ୍ ୮/୯ଟି ରାଜ୍ୟରୁ ଆସୁଛି । ଆଉ ସଂକ୍ରମଣରେ ଜାତୀୟ ହାରରେ ଓଡ଼ିଶାର ଭାଗ ପ୍ରାୟ ୧.୮% ରହିଛି । ଏହାସହ ଆଜି ସଂକ୍ରମଣରେ ସର୍ବକାଳୀନ ରେକର୍ଡ ୮୬୮୧ ରହିଛି ।
ଏହାସହ ଆମେ ରାଜ୍ୟରେ ଟେଷ୍ଟିଂ ବଢ଼ାଇଛୁ, ୨୫ ହଜାର ଆରଟିପିସିଆର ଲକ୍ଷ୍ୟ ରଖାଯାଇଛି । ପଶ୍ଚିମବଙ୍ଗ, ଛତିଶଗଡ଼ ସୀମା ସିଲ୍ କରି ସଂକ୍ରମଣ ନିୟନ୍ତ୍ରଣ ଚେଷ୍ଟା କରାଯାଉଛି । ଦେଶର ସ୍ଥିତି କେଉଁ ଆଡ଼କୁ ଯିବ, କେହି ଆକଳନ କରିପାରୁନାହାନ୍ତି । ତେଣୁ ଯେତେ ପଦକ୍ଷେପ ନେଲେ ବି କୋଭିଡ ଲହର ଏପର୍ଯ୍ୟନ୍ତ କମିନାହିଁ । ହସ୍ପିଟାଲ ବ୍ୟବସ୍ଥା ଅନୁଯାୟୀ ଏବେ ଠିକ ଅବସ୍ଥାରେ ଅଛୁ । ଏହାସହ ଆଗକୁ ସ୍ଥିତି କଣ ହେବ, କିଛି ଆକଳନ କରିହେଉନାହିଁ ବୋଲି କହିଛନ୍ତି ପ୍ରଦୀପ୍ତ ମହାପାତ୍ର ।