ଯୁବକଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା : ଦୁଇ ଅଭିଯୁକ୍ତଙ୍କୁ ପୋଲିସର ଜିମାଦେଲେ ସ୍ଥାନୀୟ ଲୋକେ

168

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ଆଜାଦବସ୍ତିର ଜନୈକ ସଫେଇ କର୍ମଚାରୀ ବୁଧୁରାମଙ୍କୁ ପଡୋଶୀ ଦୁଇ ଭାଇ ମିଶି ଅତି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି । ଘରେ କୌଣସି ସଦସ୍ୟ ନଥିବାର ସୁଯୋଗ ନେଇ ସାମ୍ନା ଘରେ ପଡୋଶୀ ଭାବେ ରହୁଥିବା ଦୁଇଭାଇ ତାଙ୍କ ଘର ଭିତରେ ପଶି ଗଣ୍ଡଗୋଳ କରିବା ସହିତ ବୁଧୁରାମଙ୍କ ମୁଣ୍ଡକୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରି ଫେରାର୍ ହୋଇଯାଉଥିବା ବେଳେ ଗଣ୍ଡଗୋଳ ଓ ପାଟିତୁଣ୍ଡ ଶୁଣି ସ୍ଥାନୀୟ ବସ୍ତିବାସିନ୍ଦା ମାନେ ରୁଣ୍ଡ ହେବା ପରେ ଅଭିଯୁକ୍ତ ଦୁଇଭାଇଙ୍କୁ କାବୁ କରିନେବା ସହିତ ରଶିରେ ବାନ୍ଧି ଅଟକାଇବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ଯୋଡା ପୌରପାଳିକା ୫ ନଂ ୱାର୍ଡ ଆଜାଦବସ୍ତି ଅଂଚଳରେ ସୋମବାର ଦିନ ଜଣେ ଯୁବକଙ୍କୁ ପଥରରେ ଅତି ନିର୍ମମ ଭାବେ ହତ୍ୟା କରିଥିବା ଘଟଣା ଯୋଡା ଅଂଚଳରେ ଚାଚଂଲ୍ୟ ସୃଷ୍ଟି କରିଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ, ମୃତ ବୁଧୁରାମ ସିରିକା ମୁଣ୍ଡାଙ୍କ ସହ ପଡୋଶୀ ମାନି ମୁଣ୍ଡା ଓ ଶିବ ମୁଣ୍ଡା କୌଣସି କାରଣ ନଥାଇ ବିବାଦର ସୂତ୍ରପାତ କରି ଗଣ୍ଡଗୋଳ ସୃଷ୍ଟି କରିଥିଲେ । ଗଣ୍ଡଗୋଳ ପାଟିତୁଣ୍ଡ ଚାଲୁଥିବା ସମୟରେ ଲଦର ମୁଣ୍ଡା, ମାନି ମୁଣ୍ଡା ଓ ଶିବ ମୁଣ୍ଡା ମୃତ ବୁଧୁରାମଙ୍କ ଘରେ ପଶି ପଥରରେ ଆକ୍ରମଣ କରିବା ସହ ମୁଣ୍ଡକୁ ଛେଚି ଛେଚି ହତ୍ୟା କରି ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକ ଓ ପାଖ ପଡୋଶୀ ଅଭିଯୁକ୍ତ ଦୁଇଭାଇଙ୍କୁ କାବୁ କରି ପୋଲିସର ଜିମା ଦେଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଭାଇ ଲଦର ମୁଣ୍ଡା ଘଟଣାସ୍ଥଳରୁ ଫେରାର୍ ହୋଇଯିବାରେ ସକ୍ଷମ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ଯୋଡା ଥାନା ଅଧିକାରିଣୀ ପଦ୍ମାଳୟା ସାହୁ ପହଂଚି ହତ୍ୟାକାଣ୍ଡର କାରଣ ଖୋଜୁଥିବା ବେଳେ ବସ୍ତିବାସିନ୍ଦାଙ୍କ କବଳରୁ ଦୁଇଭାଇଙ୍କୁ ଥାନାକୁ ନେଇଥିଲେ । କେଉଁ କାରଣ ପାଇଁ ହତ୍ୟାକାଣ୍ଡ ଘଟିଛି ତାକୁ ନେଇ ପୋଲିସ ବିଭିନ୍ନ ଦିଗରୁ ଛାନଭିନ ଜାରି ରଖିଥିବା ନେଇ ସୂଚନା ଦେଇଛି । ମୃତ ବୁଧୁରାମଙ୍କ ସ୍ତ୍ରୀ ସରସ୍ୱତୀ ସିରିକା ମୁଣ୍ଡା ଜଣେ ଦିନ ମଜୁରିଆ ମହିଳା ଶ୍ରମିକ ଭାବେ କାର୍ଯ୍ୟ କରୁଥିବାରୁ କାମ କରିବା ନିମନ୍ତେ ସେ ବାହାରକୁ ଯାଇଥିଲେ । ଏବଂ ଘରେ ରହିଥିବା ତାଙ୍କର ୪ଟି ସନ୍ତାନ ଦାଣ୍ଡରେ ଖେଳୁଥିବା ବେଳେ ଘରେ କେହିନଥିବାର ସୁଯୋଗ ନେଇ ଅପରାଧୀମାନେ ଏହି ହତ୍ୟାକାଣ୍ଡ ଭିଆଇଥିଲେ ।

Leave A Reply

Your email address will not be published.