କରୋନା ସତ୍ତେ୍ୱ ୫୫% ଅଧିକ ରପ୍ତାନି

180

ଭୁବନେଶ୍ୱର: କରୋନା ମହାମାରୀ ସତ୍ତେ୍ୱ ଓଡ଼ିଶା ରପ୍ତାନି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିପାରିଛି । ଚଳିତ ଆର୍ଥିକ ବର୍ଷର ନଭେମ୍ବର ସୁଦ୍ଧା ରାଜ୍ୟ ନିଜର ରପ୍ତାନିରେ ୫୫ ପ୍ରତିଶତ ବୃଦ୍ଧି କରିପାରିଛି । ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ଓଡ଼ିଶାର ରପ୍ତାନିକାରୀଙ୍କ ପାଇଁ ଏହା ଏକ ଚମକ୍ରାର ସଫଳତା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ରାଜ୍ୟ ରପ୍ତାନି ପୁରସ୍କାର ପ୍ରଦାନ ଅବସରରେ ସେ କହିଛନ୍ତି ଯେ, ରପ୍ତାନି ବୃଦ୍ଧି ପାଇଁ ରାଜ୍ୟ ସରକାର ବ୍ୟବସାୟ ବାତାବରଣକୁ ଆହୁରି ଅନୁକୂଳ କରିବାକୁ ପଦକ୍ଷେପ ନେଉଛନ୍ତି ।

ନିତି ଆୟୋଗ ଦ୍ୱାରା ପ୍ରକାଶିତ ରପ୍ତାନି ପ୍ରସ୍ତୁତି ସୂଚକାଙ୍କରେ ଓଡ଼ିଶା ଦେଶରେ ପ୍ରମୁଖ ୫ଟି ରାଜ୍ୟ ମଧ୍ୟରେ ରହିଛି । ସ୍ଥାନୀୟ ଉତ୍ପାଦଗୁଡ଼ିକର ରପ୍ତାନିକୁ ପ୍ରେତ୍ସାହିତ କରିବାକୁ ଜିଲ୍ଲାସ୍ତରରେ ରପ୍ତାନି ପ୍ରେତ୍ସାହନ କମିଟି ଗଠନ କରାଯାଇଛି । ଏଣୁ ସେ ଦିନ ଆଉ ଦୂର ନୁହେଁ, ଯେତେବେଳେ ଆମ ମାଲକାନିଗିରି, କଳାହାଣ୍ଡି ବା କନ୍ଧମାଳର ସାମଗ୍ରୀ ଆମେରିକା ଓ ୟୁରୋପ ବଜାରରେ ମିଳିବ ।

ଏହି ଅବସରରେ ରାଜ୍ୟ ଶିଳ୍ପ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଥିଲେ ଯେ ଓଡ଼ିଶା ଦେଶର ଏକ ପ୍ରମୁଖ ରପ୍ତାନିକାରୀ ରାଜ୍ୟରେ ପରିଣତ ହେବାର ସମ୍ଭାବନା ରଖୁଛି । ଏହି ଅବସରରେ ରପ୍ତାନି କ୍ଷେତ୍ରରେ ଉକ୍ରର୍ଷତା ହାସଲ କରିଥିବା ଶିଳ୍ପସଂସ୍ଥାମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ବୃହତ୍ ଶିଳ୍ପ ବର୍ଗରେ ବେଦାନ୍ତ ଝାରସୁଗୁଡ଼ା (ଖଣିଜ ଶିଳ୍ପ), ନାଲ୍କୋ (ଧାତୁ), ଟିସିଏସ୍ (ଇଲେକ୍ଟ୍ରୋନିକ୍ସ ଓ ଆଇଟି), ସାମୁଦ୍ରିକ ଉତ୍ପାଦ ବର୍ଗରେ ଫାଲକନ୍, ଇନ୍ଫୋସିସ୍(ଇଲେକ୍ଟ୍ରୋନିକ୍ସ ଓ ଆଇଟି) ଆଦି କମ୍ପାନି ପୁରସ୍କୃତ ହୋଇଛନ୍ତି ।

Leave A Reply

Your email address will not be published.