ଭୁବନେଶ୍ୱର: କୃଷି ମହୋତ୍ସବ ‘କୃଷି ଓଡ଼ିଶା’ର ପ୍ରଭାବ ସୁଦୂର ପ୍ରସାରୀ ହୋଇପାରିଛି । ଏହା ଚାଷୀ, କୃଷି ଉଦ୍ୟୋଗୀ, କୃଷି ବିଶେଷଜ୍ଞ ଓ କୃଷି ସାମଗ୍ରୀ ବିତରଣକାରୀମାନଙ୍କ ପାଇଁ ଜ୍ଞାନ ଲାଭର ଏକ ପ୍ରକୃଷ୍ଟ ସ୍ଥାନ । ବିଗତ ବର୍ଷର ଅନୁଭୂତି ଓ ଅନୁସନ୍ଧାନରୁ ଜଣାପଡ଼ିଛି ଯେ କୃଷି ଓଡ଼ିଶାକୁ ବୁଲି ଦେଖିଥିବା ଅନେକ ଚାଷୀଭାଇ ବିଭିନ୍ନ ପ୍ରକାର କୃଷି ଜ୍ଞାନକୌଶଳ ଆପଣେଇ ସେମାନଙ୍କର ଉତ୍ପାଦନ ବୃଦ୍ଧି କରିଛନ୍ତି ଓ କୃଷି ଉଦ୍ୟୋଗୀ ହୋଇପାରିଛନ୍ତି ।
ଏହାଦ୍ୱାରା ରାଜ୍ୟର କୃଷି ଉନ୍ନତ ହେବା ସଙ୍ଗେ ସଙ୍ଗେ ଆନୁଷଙ୍ଗିକ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ହୋଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଚଳିତ ବର୍ଷ କୃଷି ଓଡ଼ିଶା-୨୦୨୧ ମାର୍ଚ୍ଚ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ଖେଳପଡ଼ିଆ, ବରମୁଣ୍ଡା, ଭୁବନେଶ୍ୱର ଠାରେ ଆୟୋଜନ କରାଯାଉଥିବା ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେବା ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ ଯେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଉନ୍ନତିକରଣ ପାଇଁ ବୈଷୟିକ ଜ୍ଞାନକୌଶଳ, କୃଷି ଯାନ୍ତ୍ରିକୀକରଣ, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସମ୍ବଳ ବିକାଶ, ବଜାର ସୁବିଧା, ଆବଶ୍ୟକୀୟ ଋଣର ସହଜ ଉପଲବ୍ଧତା,ଉନ୍ନତ କୃଷି ସାମଗ୍ରୀର ବିନିଯୋଗ ଓ ବିତରଣ ବ୍ୟବସ୍ଥା ଏବଂ କୃଷି ଉଦ୍ୟୋଗ ସ୍ଥାପନ ନିମନ୍ତେ ଗୋଟିଏ ଛାତତଳେ ସବୁ ଅଂଶଦାରମାନଙ୍କୁ ଏକାଠି କରି ସେମାନଙ୍କର ଉନ୍ନତ ଜ୍ଞାନକୌଶଳ ‘କୃଷି ଓଡ଼ିଶା’ ମାଧ୍ୟମରେ ପ୍ରଦର୍ଶିତ କରାଯିବ ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ ୧୫ ତାରିଖ ସନ୍ଧ୍ୟା ୫.୩୦ ମିନିଟ୍ ସମୟରେ ଏହାର ଶୁଭ ଉଦଘାଟନ ଏବଂ ମାର୍ଚ୍ଚ ୧୯ ତାରିଖରେ ଉଦଯାପନୀ ଦିବସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ‘କୃଷି ଓଡ଼ିଶା’ର ବିଷୟବସ୍ତୁ ‘ସମନ୍ୱିତ ଚାଷ, ଚାଷୀର ବିକାଶ’ ରଖାଯାଇଥିବାବେଳେ ଏହାକୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚେମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି(ଫିକି)ସହଯୋଗିତାରେ ଆୟୋଜନ କରାଯାଉଛି ।
ଚଳିତ ବର୍ଷ ‘କୃଷି ଓଡ଼ିଶା’ର ମାସ୍କଟ ଭାବେ ‘ଛତୁ’ ରଖାଯାଇଛି, ଯାହାକୁ ମନ୍ତ୍ରୀ ଡ. ସାହୁ ଶୁଭ ଉନ୍ମୋଚନ କରିଥିଲେ । ଛତୁର ଗୁଣାତ୍ମକ ମାନ, ସହଜ ଉପଲବ୍ଧତା, ଅଧିକ ଲାଭ,ଉନ୍ନତ ପୁଷ୍ଟିଯୁକ୍ତ ଖାଦ୍ୟପ୍ରାଣ ହୋଇଥିବାରୁ ଏହାକୁ କୃଷି ଓଡ଼ିଶା ୨୦୨୧ର ମାସ୍କଟ ଭାବେ ଚୟନ କରାଯାଇଛି । ସମଗ୍ର ଦେଶରେ ଓଡ଼ିଶା ପାଳଛତୁ ଉତ୍ପାଦନରେ ପ୍ରଥମ ଓ ମୋଟ ଛତୁ ଉତ୍ପାଦନରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ବୋଲି ମନ୍ତ୍ରୀ ଡ.ସାହୁ କହିଥିଲେ ।
୫ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ‘କୃଷି ଓଡ଼ିଶା’ରେ ମୋଟ ୧୬୦ଟି ମଣ୍ଡପ ପ୍ରଦର୍ଶିତ ହେବ । ଚଳିତ ବର୍ଷ କୃଷି ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ହେଉଛି ୧୦ଟି ବିଷୟବସ୍ତୁ ଉପରେ କୃଷକ, କୃଷି ଉଦ୍ୟୋଗୀ, ବିଶେଷଜ୍ଞ ଓ ବୈଜ୍ଞାନିକମାନଙ୍କ ସହ ଆଲୋଚନା ଚକ୍ର । ଏହି ଅବସରରେ ରାଜ୍ୟର ୩୦ଟି ଜିଲ୍ଲାରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଅଗ୍ରଣୀ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ।
ଏଥି ସହିତ ୩୦ଟି ଜିଲ୍ଲାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କ୍ଷୁଦ୍ର ପ୍ରଦର୍ଶନୀ ମାଧ୍ୟମରେ ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମ ସାମାଜିକ ଗଣମାଧ୍ୟମରେ ସିଧା ପ୍ରସାରଣ କରାଯିବାର ବ୍ୟବସ୍ଥା ରହିଛି । ସମସ୍ତ କାର୍ଯ୍ୟକ୍ରମକୁ ଚଳିତବର୍ଷ ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରାଯିବ । ‘କୃଷି ଓଡ଼ିଶା’ କୋଭିଡ୍-୧୯ ମାର୍ଗଦର୍ଶିକା ଅନୁପାଳନ କରାଯାଇ ଆୟୋଜନ କରାଯିବ ବୋଲି ଡ.ସାହୁ କହିଥିଲେ । କୃଷି ଓଡ଼ିଶାର ମହାର୍ଘ ଅନୁଭୂତି ଓ ପ୍ରେରଣା ଚାଷୀ ଓ ଯୁବବର୍ଗଙ୍କ ପାଇଁ ଏକ ଆଲୋକବର୍ତିକା ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ସାମ୍ବାଦିକ ସମ୍ମିନଳୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍.ମୁଥୁ କୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।